ଜିଲ୍ଲା ସମ୍ବନ୍ଧରେ

ଓଡିଶାର ଦକ୍ଷିଣ ପଶ୍ଚିମ ପ୍ରାନ୍ତର ପ୍ରାକୃତିକ ବିବିଧତା ଭରା ସବୁଜ ବନ ବନାନୀ ଓ ଶାନ୍ତ ପରିବେଶ ମଧ୍ୟରେ ନବରଂଗପୁର ଜିଲ୍ଲା ଅବସ୍ଥିତ । ରାଜ୍ୟ ସରକାରଙ୍କ ସୂଚନା ପତ୍ର ସଂଖ୍ୟା DRC- (44/93/14218/R) ପ୍ରକାରେ ଅକ୍ଟୋବର 2 1992 ମସିହା ଠାରୁ ନବରଙ୍ଗପୁର କୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରାଗଲା । ଏହା ପୂର୍ବରୁ ନବରଙ୍ଗପୁର ଅବିଭକ୍ତ କୋରାପୁଟ ଜିଲ୍ଲା ର ଏକ ବିଶାଳ ସବ-ଡିଭିଜନ ହିସାବରେ ପରିଗଣିତ ହୋଇ ଆସୁଥିଲା । ଏହି ଜିଲ୍ଲାର ଉତ୍ତର ଓ ପଶ୍ଚିମ ସୀମା ଯଥାକ୍ରମେ ରାୟପୁର ଓ ବସ୍ତର ଜିଲ୍ଲା (ଛତିଶଗଡ଼) ସହ ସଂଯୁକ୍ତ ଏବଂ ଏହାର ପୂର୍ବ ପଟରେ କଳାହାଣ୍ଡି ଓ ରାୟଗଡା ଜିଲ୍ଲା ଏବଂ ଦକ୍ଷିଣରେ କୋରାପୁଟ ଜିଲ୍ଲା ଅବସ୍ଥିତ । ଦକ୍ଷିଣରେ ଅବସ୍ଥିତ ଇନ୍ଦ୍ରାବତୀ ନଦୀ ସୀମାରେଖା ରୂପେ ନବରଙ୍ଗପୁର ଜିଲ୍ଲା ଓ କୋରାପୁଟ ଜିଲ୍ଲାକୁ ପରସ୍ପର ଠାରୁ ଅଲଗା କରେ । ନବରଙ୍ଗପୁର ଜିଲ୍ଲାର କ୍ଷେତ୍ରଫଳ ପ୍ରାୟ 5294 ବର୍ଗ କି.ମି. ତନ୍ମଧ୍ୟରୁ 1583.4 ବର୍ଗ କି.ମି. ଜଙ୍ଗଲ ଦ୍ୱାରା ଆଚ୍ଛାଦିତ । ଏହାର ଭୌଗଳିକ ଅବସ୍ଥିତି ଉତ୍ତର ଅକ୍ଷାଂଶ 20.3० ଠାରୁ 17.5० ଏବଂ ପୂର୍ବ ଦ୍ରାଘିମା 81.27० ଠାରୁ 84.1० ମଧ୍ୟରେ ଅଛି ।

ନବରଙ୍ଗପୁର ଜିଲ୍ଲାର ସଦର ମହକୁମା ନବରଙ୍ଗପୁର ସହର ଠାରେ ଅବସ୍ଥିତ । ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା 10 ଗୋଟି ତହସିଲ, 10 ଗୋଟି ବ୍ଲକ ଏବଂ 169 ଗ୍ରାମ ପଂଚାୟତରେ ବିଭକ୍ତ। 2011 ଜଣ ଗଣନା (ଅସ୍ଥାୟୀ) ଅନୁସାରେ ନବରଙ୍ଗପୁର ଜିଲ୍ଲାର ଜନସଂଖ୍ୟା ସର୍ବମୋଟ 1218762 ଯାହା ମଧ୍ୟରୁ ଆଦିମ ଜନଜାତିଙ୍କ ସଂଖ୍ୟା ଅର୍ଦ୍ଧେକ ଏବଂ ଲିଙ୍ଗ ଅନୁପାତ 1018 । ଏହି ଜିଲ୍ଲାରେ ବସବାସ କରୁଥିବା ଜନଜାତି ନିଜ ଜୀବିକା ପାଇଁ କୃଷି ଓ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି । ଜିଲ୍ଲାର କିଛି ପଶ୍ଚିମ ସୀମାନ୍ତବର୍ତ୍ତୀ ସ୍ଥାନରେ ଛତିଶଗଡ଼ି ଭାଷାର ପ୍ରଭାବ ଦେଖିବାକୁ ମିଳେ । ପ୍ରଶାସନିକ ବ୍ୟବସ୍ଥା ଅନୁସାରେ ଜିଲ୍ଲାରେ ମୋଟ 169 ଗ୍ରାମ ପଚୟତ, 2 ପୌରସଂସ୍ଥା ଓ 10 ଗୋଟି ପୋଲିସ ଥାନା ଅଛି । ନବରଙ୍ଗପୁର ଜିଲ୍ଲା ମିଶ୍ରିତ ଧର୍ମଵିଶିଷ୍ଟ ଏବଂ ଏହି ଜିଲ୍ଲାରେ ବହୁ ପରିମାଣରେ ହିନ୍ଦୁ, ଖ୍ରୀଷ୍ଟୀୟ ଓ ମୁସଲମାନ ଧର୍ମାବଲମ୍ବୀ ବାସ କରନ୍ତି ଓ ଜନଜାତି ହିନ୍ଦୁ ଦେବଦେବୀଙ୍କୁ ପୂଜା କରନ୍ତି । ବସବାସ କରୁଥିବା ମିର୍ଗାନ, ଶଙ୍ଖାରି, ମାଳି ଓ ଶୁଣ୍ଢୀ ଜାତିର ଲୋକଙ୍କ ମଧ୍ୟରେ ଭୂମିଆ ଓ ଡ଼ମ୍ବ ଜାତି ଅନ୍ୟତମ ।

ଏହି ଅଂଚଳର ଏକ ପ୍ରମୁଖ ଲୋକ ପର୍ବ ହେଉଛି ମଣ୍ଡେଇ ଯାହାକି ସାଧାରଣତଃ ଶସ୍ୟ ଅମଳ ପରେ ପରେ ପାଳନ କରାଯାଇଥାଏ । ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ନବରଙ୍ଗପୁର ଜିଲ୍ଲାରେ ପ୍ରାୟତଃ ପୂର୍ବରୁ ମୌସୁମୀ ବୃଷ୍ଟିପାତ ହୋଇଥାଏ । ନବରଙ୍ଗପୁର ଜିଲ୍ଲାରେ ବୃଷ୍ଟିପାତ ସିଧାସଳଖ ଆରବ ସାଗରରୁ ସୃଷ୍ଟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦ୍ୱାରା ଆରମ୍ଭ ହୋଇଥାଏ ଯେତେବେଳେକି ଓଡିଶାର ଅନ୍ୟାନ୍ୟ ଜିଲ୍ଲାରେ ବଙ୍ଗୋପସାଗରର ମୌସୁମୀ ପ୍ରବାହ ଯୋଗୁଁ ବୃଷ୍ଟି ହୋଇଥାଏ । ସମଗ୍ର ଜିଲ୍ଲାରେ ବାର୍ଷିକ ହାରାହାରି 16912.57 ମି ମି ହୋଇଥାଏ । ଏହି ଅଂଚଳର ମାଳଭୂମି 2000ଫୁଟ ର 3000 ଫୁଟ ମଧ୍ୟ ରେ ଅବସ୍ଥିତ ଥିବା ଯୋଗୁଁ ପ୍ରାୟ ଥଣ୍ଡା ଅନୁଭୂତ ହୁଏ ।

କୃଷିପ୍ରଧାନ ଜିଲ୍ଲା ହୋଇଥିବାରୁ ନବେ ଶତକଡା ଅଧିବାସୀ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି । ଉପଯୁକ୍ତ ଜଳସେଚନ ସୁବିଧା ନଥିବା ଯୋଗୁଁ କୃଷକ ମାନେ ମୁଖ୍ୟତଃ ମୌସୁମୀ ବର୍ଷ ଉପରେ ହିଁ ନିର୍ଭର କରିଥାନ୍ତି । ଜାତୀୟ ଉଦ୍ୟାନ-କୃଷି ମିଶନ ଦ୍ୱାରା ଏହି ଜିଲ୍ଲା ରେ ପରିବା ଓ ଫଳ ଚାଷ ପାଇଁ ବହୁତ ଗୁଡିଏ ପଦକ୍ଷେପ ନିଆଯାଉଛି ।ନବରଙ୍ଗପୁର ଜିଲ୍ଲାରେ ଲୌହ, କ୍ଲୋରାଇଟ, ଅଭ୍ର ଓ କ୍ୱାର୍ଟଜ ଭଳି ବହୁ ମୂଲ୍ୟବାନ ଖଣିଜ ପଦାର୍ଥର ଭଣ୍ଡାର ଗଛିତ ଅଛି ।ଉମରକୋଟ ସହର ନିକଟବର୍ତ୍ତୀ ହୀରାପୁର ଗ୍ରାମ ଅଂଚଳରେ ହେମାଟାଇଟ ଓ ଲିମୋନାଇଟ ଭଳି ଖଣିଜ ମହଜୁଦ ଅଛି ଯାହାକି ଷାଠିଏ ଶତକଡା ଲୌହ ଉପାଦାନ ଗଠିତ ।